Monday, September 28, 2026

Kalaa Badana (Odia Devotional Song): Poet Narayan Bharasa Meher | କଳାବଦନ (ଓଡ଼ିଆ ଭକ୍ତିଗୀତ): କବି ନାରାୟଣ ଭରସା ମେହେର

'Kalaa Badana' (Odia Devotional Song) : 
By : Poet Narayan Bharasa Meher
====== 
* कळाबदन * 
ओड़िआ भक्तिगीत : राग - रसकुल्या * 
('क' रु 'क्ष' पर्यन्त आद्यबर्ण्ण चउतिशा शैळीरे)
रचयिता : कवि नारायण भरसा मेहेर
= = = = =

* କଳାବଦନ * 
ରାଗ - ରସକୁଲ୍ୟା 
('କ'ରୁ 'କ୍ଷ' ଆଦ୍ୟବର୍ଣ୍ଣ ଚଉତିଶା ଶୈଳୀରେ)
ରଚୟିତା : କବି ନାରାୟଣ ଭରସା ମେହେର 
----------- 
କଳାବଦନ ହେ   କଞ୍ଜ-ନୟନ ! 
ଖଣ୍ଡ ମୋର ଖେଦ  ଖଗବାହନ । 
ଗୋବିନ୍ଦ ଗୋପାଳ  ଗଳାର ମାଳୀ, 
ଘନଶ୍ୟାମ ବାରେ  ଘେନ ମୋ ଅଳି ହେ ।
      ଓଁଙ୍କାରରୂପୀ  ଅଚ୍ୟୁତ ହେ,
ଚକାଡୋଳା ଚତୁ-      ର୍ଭୁଜ ଚିନ୍ତାମଣି 
      ଚିଦାନନ୍ଦ  ଚକ୍ରହସ୍ତ ହେ ।। (୧) 

ଛଇଳ ନାଗର    ଛବି ମୋହନ, 
ଜଗତ-ଜୀବନ   ହେ ଜନାର୍ଦ୍ଦନ । 
ଝୁରେ ମନ, କୃପା  ଝରାଅ ଲେଶ,
ନିରାଶ ନ କର  ନୀଳଗିରୀଶ ହେ । 
      ଟାଳିଦିଅ ଦୁଃଖ ଯାଉ ହେ,  
ଠାକୁର ହୋଇ କି     ଠାବ ନ ଦେଉଛ,
      ଠିକେ ତୁମ ଯଶ ଥାଉ ହେ ।। (୨) 

ଡାକୁଛି ଆରତେ  ଡେର ଶ୍ରବଣ,
ଢାଳ କୃପାମୃତ   ଯାଉ କଷଣ ।
ଅନାୟତ୍ତେ ଚିତ୍ତ  ରହିଛି ଟାକି,
ତାରକ ବିଶ୍ୱର  ତୁମେ ଏକାକୀ ହେ । 
      ଥୟ ହୋଇଥାଉ ମତି ହେ,
ଦୀନବନ୍ଧୁ ବୋଲି     ଦୁଃଖ ଜଣାଇଲି,
       ଦିଅ ପ୍ରଭୁ ଶୁଭ ଗତି ହେ ।। (୩) 

ଧରିଅଛି ମନ    ଧ୍ୟାନ ତୁମର,
ନର ନାରାୟଣ  ନନ୍ଦ-କୁମର । 
ପତିତପାବନ   ହେ ପଦ୍ମାପତି,
ଫିଟାଅ ଫନ୍ଦାରୁ  ଫେଡ଼ ଦୁର୍ଗତି ହେ । 
      ବନମାଳୀ ବାସୁଦେବ ହେ, 
ଭକ୍ତଜନ-ଭୋଳା   ଭାବଗ୍ରାହୀ ତୁମେ 
      ଭବାର୍ଣ୍ଣବ ପାରି ନେବ ହେ ।। (୪) 

ମୁକୁନ୍ଦ ମାଧବ    ମନ୍ଦରଧାରୀ,
ଯାମଳା-ଭଞ୍ଜନ   ଯମୁନାଚାରୀ । 
ରାଧିକା-ରମଣ   ରସିକରାଜ,
ଲୀଳାମୟ ଲୟ   ଲାଗିଛି ଆଜ ହେ ।‌
     ବିଷ୍ଣୁ ତୁମେ ବିଶ୍ୱବାସ ହେ, 
ଶୁଣ ମୋ ଗୁହାରି      ଶରଣ ତୁମରି 
     ଶ୍ରୀପାଦେ କରାଅ ଦାସ ହେ ।‌। (୫)

ଷଡ଼-ଅର୍ଦ୍ଧ ପୁରେ   ତୁମେ ନାୟକ,
ସତ୍ୟ ସୁନ୍ଦର ହେ   ସର୍ବବ୍ୟାପକ । 
ହରିଛ ହରିଣୀ-   ହସ୍ତୀ- ଆରତ,
ହରଷ ବିତର   ହୃଦେ କିଞ୍ଚିତ ହେ ।
       କ୍ଷୀରସିନ୍ଧୁସୁତା-ବର ହେ,
କ୍ଷମେ ନାରାୟଣ    ଭରସା ମେହେର 
      ଜଣାଉଛି କ୍ଷମା କର ହେ ।। (୬) 
               ========= 
(ଏହି ଗୀତଟି 'ନାରାୟଣ ଭଜନାବଳୀ' ଭକ୍ତିଗୀତ- 
ସଙ୍କଳନରୁ ଗୃହୀତ) 
                    *****
(Extracted from " Narayana-Bhajanavali" of Kavi Narayan Bharasa Meher) 

                   ******* 

No comments:

Post a Comment